ଫାରୁକ ଅବଦୁଲ୍ଲା
ପାକିସ୍ତାନ ସହ କଥାବାର୍ତ୍ତା କରାଯାଉ, ନହେଲେ ହେବ ଗାଜା ଭଳି ଅବସ୍ଥା: ଫାରୁକ ଅବଦୁଲା
27-12-2023
ନୂଆଦିଲ୍ଲୀ:26-12- ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନାସନାଲ କନଫରେନ୍ସ ସାଂସଦ ଫାରୁକ ଅବଦୁଲ୍ଲା ପୁଣି ଥରେ ପାକିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି । ସେ ଭାରତ ସରକାରଙ୍କୁ ପଡ଼ୋଶୀ ପାକିସ୍ତାନ ସହ କଥା ହେବାକୁ ଅପିଲ କରିଛନ୍ତି । ଏହା ସହ ସେ ଉଭୟ ଦେଶ ମଧ୍ୟରେ ଆଲୋଚନାରେ ଆସୁଥିବା ବିଳମ୍ବକୁ ନେଇ ମଧ୍ୟ କେନ୍ଦ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି । ଖାଲି ସେତିକି ନୁହେଁ, ଆମର ଅବସ୍ଥା ମଧ୍ୟ ଗାଜା ଭଳି ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ମଙ୍ଗଳବାର ଅବଦୁଲ୍ଲା କହିଛନ୍ତି ‘‘ଅଟଳ ବିହାରୀ ବାଜପେୟୀ ଜୀ କହିଥିଲେ ବନ୍ଧୁ ବଦଳାଯାଇପାରେ । କିନ୍ତୁ ପଡ଼ୋଶୀ ବଦଳାଯାଇପାରିବନି । ଯଦି ଆମେ ଆମର ପଡ଼ୋଶୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ତେବେ ଉଭୟ ଉନ୍ନତି କରିବେ । ପିଏମ ମୋଦୀ ମଧ୍ୟ କହିଥିଲେ ଯେ, ଯୁଦ୍ଧ ଏବେ ବିକଳ୍ପ ନୁହେଁ ଏବଂ ମାମଲା କଥାବାର୍ତ୍ତା ଜରିଆରେ ସାମଧାନ ହେବା ଦରକାର ।’’ ସେ ଆହୁରି କହିଛନ୍ତି ‘‘ନୱାଜ ସରିଫ୍ ଭାରତ ସହ କଥା ହେବାକୁ ପ୍ରସ୍ତୁତ । କିନ୍ତୁ ଆମେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ନୋହୁଁ ? ଯଦି ଆମେ କଥାବାର୍ତ୍ତାରେ ସମାଧାନର ରାସ୍ତା ବାହାର କରିବାନାହିଁ ତାହେଲେ ଆମ ଅବସ୍ଥା ମଧ୍ୟ ଗାଜା ଏବଂ ପାଲେଷ୍ଟାଇନ ଭଳି ହୋଇଯିବ ।‘‘ ବଡ଼ କଥା ହେଉଛି ଅବଦୁଲାଙ୍କ ତରଫରୁ ଏହି ବୟାନ ଏଭଳି ସମୟରେ ଆସିଛି । ଯେତେବେଳେ ନିକଟରେ ପୁଞ୍ଚରେ ଭାରତୀୟ ସେନାର ପାଞ୍ଚ ଯବାନ ଶହୀଦ ହୋଇଛନ୍ତି । ଏହା ବ୍ୟତୀତ ବାରାମୂଳାରେ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କୁ ମସଜିଦ୍ ଭିତରେ ହିଁ ଗୁଳିମାରି ହତ୍ୟା କରାଯାଇଥିଲା । ଏତିକି ନୁହେଁ ଯବାନଙ୍କ ତରଫରୁ ପଚରାଉଚରା କରାଯିବା ପରେ ତିନି ସାଧାରଣ ନାଗରିକଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ।
Comments
Post a Comment