ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର-ରାଜନାଥ ସିଂହ

 ତଳ ସମୁଦ୍ର ତଳୁ ବି ଆକ୍ରମଣକାରୀଙ୍କୁ ଠାବ କରିବୁ: ପ୍ରତିରକ୍ଷା ମନ୍ତ୍ରୀ

27-12-2023

ନୂଆଦିଲ୍ଲୀ: ଆରବ ସାଗରରେ ଦେଇ ବାଣିଜ୍ୟିକ ପଣ୍ୟବାହୀ ଜାହାଜ ଏମଭି କେମ୍ ପ୍ଲୁଟୋ ନ୍ୟୁ ମାଙ୍ଗାଲୋର ବନ୍ଦର ଅଭିମୁଖେ ଆସୁଥିବା ବେଳେ ଯେଉଁମାନେ ଜାହାଜ ଉପରେ ଆକ୍ରମଣ କରିଥିଲେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଯେଉଁମାନେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲେ ସେମାନଙ୍କୁ ସେ ‘ପାତାଳରୁ ମଧ୍ୟ ଖୋଜି ବାହାର କରିବେ’ । ସେ ଆହୁରି କହିଛନ୍ତି ଯେ ଏହି ଘଟଣା ପରେ ଭାରତୀୟ ନୌସେନା ସମୁଦ୍ରରେ ନିରୀକ୍ଷଣ ବଢ଼ାଇଛି । ସମୁଦ୍ର ମଧ୍ୟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ ସମୁଦ୍ର ମଧ୍ୟରେ ତଦାରଖ ବଢ଼ାଇଛନ୍ତି । ଯେଉଁମାନେ ସମୁଦ୍ର ତଳୁ ମଧ୍ୟ ଏହି ଆକ୍ରମଣ କରିଛନ୍ତି ସେମାନଙ୍କୁ ଖୋଜି ବାହାର କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ଦେଶ ଭାରତର ବିକାଶରେ ଅସନ୍ତୁଷ୍ଟ ଅଛନ୍ତି । ଉଲ୍ଲେଖଯୋଗ୍ୟ, ସାଉଦି ଆରବରୁ ଅଶୋଧିତ ତୈଳ ବୋଝେଇ ପଣ୍ୟବାହୀ ଜାହାଜ ଏମଭି କେମ୍ ପ୍ଲୁଟୋ ନ୍ୟୁ ମାଙ୍ଗାଲୋର ବନ୍ଦର ଅଭିମୁଖେ ଯାଉଥିବା ବେଳେ ଆରବ ସାଗରରେ ଭାରତର ପଶ୍ଚିମ ଉପକୂଳରେ ଏକ ଡ୍ରୋନ୍ ଦ୍ୱାରା ହୁଥି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଜାପାନର ମାଲିକାନାରେ ଥିବା ଏବଂ ନେଦରଲ୍ୟାଣ୍ଡ ଦ୍ୱାରା ପରିଚାଳିତ ଲାଇବେରିଆ ପତାକା ଥିବା ଏହି ରାସାୟନିକ ବୋଝେଇ ଜାହାଜ ଉପରେ ଭାରତୀୟ ଉପକୂଳରୁ ପ୍ରାୟ ୨୦୦ ନଟିକାଲ ମାଇଲ ଦୂରରେ ଡିସେମ୍ବର ୨୩ରେ ଡ୍ରୋନ ଆକ୍ରମଣ କରାଯାଇଥିଲା । ଏହା ସାଉଦି ଆରବର ଅଲ୍ ଜୁବାଇଲ ବନ୍ଦରରୁ ନ୍ୟୁ ମାଙ୍ଗାଲୋର ବନ୍ଦରକୁ ଅଶୋଧିତ ତୈଳ ପରିବହନ କରୁଥିଲା । ଭାରତୀୟ ନୌସେନା ଅନୁଯାୟୀ, ଏହି ବାଣିଜ୍ୟିକ ଜାହାଜରେ ୨୦ ଜଣ ଭାରତୀୟ ଓ ଭିଏତନାମୀ କର୍ମଚାରୀ ଥିଲେ । ତେବେ, ଏହି ଆକ୍ରମଣରେ କେହି ଆହତ ହୋଇନାହାନ୍ତି । ପରେ, ଭାରତୀୟ ତଟରକ୍ଷୀ ଜାହାଜ ଆଇସିଜିଏସ୍ ବିକ୍ରମର ସୁରକ୍ଷା ବଳୟରେ ଏହି ପଣ୍ୟବାହୀ ଜାହାଜ ସୋମବାର ମୁମ୍ବାଇ ବନ୍ଦରରେ ପହଞ୍ଚିଥିଲା । 


Comments

Popular posts from this blog

ଯୋଗୀ ଆଦିତ୍ୟନାଥ

ଅରବିନ୍ଦ କେଜିରିଓ୍ବାଲ

ହିମନ୍ତ ବିଶ୍ୱ ଶର୍ମା Himant Biswa Sharma